

ରେଙ୍ଗାଳି ଡ୍ୟାମ ଠାରେ ପ୍ରସ୍ତାବିତ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କଲେ ବିଧାୟକ
ରେଙ୍ଗାଳି ଡ୍ୟାମକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟରେ ଆଜି ପ୍ରସ୍ତାବିତ ପର୍ଯ୍ୟଟନ ସ୍ଥଳ କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ପରିଦର୍ଶନ କରିଛନ୍ତି।ପରିଦର୍ଶନ ସମୟରେ ରେଙ୍ଗାଳି ଜଳଭଣ୍ଡାରର ମନୋରମ ପ୍ରାକୃତିକ ପରିବେଶ, ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳର ସୌନ୍ଦର୍ଯ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ନିମନ୍ତେ ସେଲ୍ଫି ପଏଣ୍ଟ, ପାର୍କ, ଶିଶୁ ଉଦ୍ୟାନ, ବୋଟିଂ ସୁବିଧା, ବିଶ୍ରାମାଗାର ଏବଂ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ରେ ନିର୍ଦ୍ଦେଶ ଦେଇଥିଲେ ।
ଆଲୋଚନାରେ ଅଞ୍ଚଳର ପ୍ରାକୃତିକ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନ ବିକାଶ କାର୍ଯ୍ୟକୁ ଆଗେଇ ନେବା ଉପରେ ଜୋର ଦିଆଯାଇଥିଲା। ପରିବେଶ ଅନୁକୂଳ ଢାଞ୍ଚା ନିର୍ମାଣ ସହ ସ୍ଥାନୀୟ ଯୁବକ ଓ ମହିଳାମାନଙ୍କୁ ପର୍ଯ୍ୟଟନ ଭିତ୍ତିକ ଜୀବିକା ସହ ଯୋଡ଼ିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ରେଙ୍ଗାଳି ଡ୍ୟାମରେ ଉନ୍ନତ ପର୍ଯ୍ୟଟନ ଭିତ୍ତିଭୂମି ଗଢ଼ି ଉଠିଲେ ଏହା କେବଳ ଅନୁଗୋଳ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ପରିଚିତ ହେବ। ଏହା ଦ୍ୱାରା ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା ସହ କ୍ଷୁଦ୍ର ବ୍ୟବସାୟ, ପରିବହନ, ହୋଟେଲ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।
ପରିଦର୍ଶନ ଶେଷରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପ୍ରକଳ୍ପର ବିଭିନ୍ନ ଦିଗର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଶୀଘ୍ର କାର୍ଯ୍ୟାନ୍ୱୟନ ନିମନ୍ତେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପ୍ରସ୍ତାବିତ ପର୍ଯ୍ୟଟନ ପ୍ରକଳ୍ପକୁ ସ୍ୱାଗତ କରି ଅଞ୍ଚଳର ବିକାଶ ପ୍ରତି ଆଶାବାଦୀ ମତ ପ୍ରକାଶ କରିଥିଲେ। ଏହି ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ସମୟରେ ଜିଲ୍ଲା ବିଭାଗୀୟ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ବନକ୍ଷେତ୍ର ଅଧିକାରୀ ଶୁଭ୍ରା ସୁଚିଶ୍ମିତା ମହାପାତ୍ର , ଅନୁଗୋଳ ଜିଲ୍ଲା ବିଜେପି ଉପ ସଭାପତି ନୃସିଂହ ଚରଣ ବରାଳ, ସମ୍ପାଦକ ପ୍ରହ୍ଲାଦ ସାମଲ, ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତା ବିନ ପ୍ରଧାନ , ଧ୍ରୁବ ଚରଣ ଧୀର , ସୁମନ୍ତ ପ୍ରଧାନ ପବିତ୍ର ନଗର ମଣ୍ଡଳ ସଭାପତି ମନୋଜ ବିଶ୍ବାଳ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.