Malyagiri Express
Home/ସର୍ବଶେଷ ଖବର/ମଶା ବଂଶ ଲୋପ କରିବାକୁ ୩.୨କୋଟି ମଶା ଛାଡ଼ିବ ଗୁଗଲ

ମଶା ବଂଶ ଲୋପ କରିବାକୁ ୩.୨କୋଟି ମଶା ଛାଡ଼ିବ ଗୁଗଲ

Malayagiri Express
Malayagiri ExpressJune 1, 2026in ସର୍ବଶେଷ ଖବର
ମଶା ବଂଶ ଲୋପ କରିବାକୁ  ୩.୨କୋଟି ମଶା ଛାଡ଼ିବ ଗୁଗଲ
0 likes0 comments

ଟେକ୍ ଜାଏଣ୍ଟ ଗୁଗଲ୍ (Google) ଏକ ବଡ଼ ଏବଂ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏଭଳି ଯୋଜନା ସଂପର୍କରେ ହୁଏତ ଆଗରୁ କେବେ କେହି ଭାବିନଥିଲେ । ଆମେରିକାରେ ମଶା ବାହିତ ରୋଗକୁ ନିୟନ୍ତ୍ରଣ କରିବା ଲାଗି ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ‘ସ୍ବତନ୍ତ୍ର ମଶା’ ଛାଡ଼ିବାକୁ ପ୍ରସ୍ତୁତି କରୁଛି । ଫ୍ଲୋରିଡା ଏବଂ କାଲିଫର୍ଣ୍ଣିଆରେ ପ୍ରାୟ ୩୨ ମିଲିୟନ (୩ କୋଟି ୨୦ ଲକ୍ଷ) ସ୍ୱତନ୍ତ୍ର ଜୀବାଣୁଯୁକ୍ତ ମଶା ଛାଡ଼ିବା ପାଇଁ ଯୋଜନା କରୁଛି ଆଲଫାବେଟ୍।

'ୱେଷ୍ଟ ନାଇଲ୍ ଭାଇରସ୍' (West Nile virus) ଏବଂ 'ସେଣ୍ଟ ଲୁଇସ୍ ଏନସେଫାଲାଇଟିସ୍' (St. Louis encephalitis) ଭଳି ମଶାବାହିତ ରୋଗର ସଂକ୍ରମଣକୁ ରୋକିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଆଲଫାବେଟ୍ର ଜୀବ ବିଜ୍ଞାନ ଶାଖା 'ଭେରିଲି' (Verily) ଦ୍ୱାରା ୨୦୧୬ ମସିହାରେ ଏହି 'ଡେବଗ୍' ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ଅଧୀନରେ ଲ୍ୟାବ୍ରେ ପ୍ରସ୍ତୁତ ବିଶେଷ ମଶାକୁ ପ୍ରକୃତି ମଧ୍ୟକୁ ଛଡ଼ାଯାଏ, ଯାହାଫଳରେ ବାହାରେ ମଶା ବଂଶବୃଦ୍ଧି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ।

ବର୍ତ୍ତମାନ ଏହି ଯୋଜନାକୁ ବଡ଼ ଆକାରରେ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ପାଖରୁ ଅନୁମତି ମାଗିଛି। ଏକ ପରୀକ୍ଷାମୂଳକ ଅନୁମତି ପତ୍ର ଅଧୀନରେ EPA ଏହି ପ୍ରସ୍ତାବର ସମୀକ୍ଷା କରୁଛି। ଏହି ସମ୍ପୂର୍ଣ୍ଣ ଯୋଜନାଟି 'ୱଲବାଚିଆ' (Wolbachia) ନାମକ ଏକ ପ୍ରାକୃତିକ ଜୀବାଣୁ (Bacteria) ଉପରେ ଆଧାରିତ। ଗୁଗଲ୍ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ କେବଳ 'ଅଣ୍ଡିରା ମଶା' ହିଁ ଛାଡ଼ିବ।

ଏହା କିଭଳି କାମ କରେ?

ପ୍ରକୃତିରେ କେବଳ ମାଈ ମଶାମାନେ ହିଁ ମଣିଷକୁ କାମୁଡ଼ନ୍ତି ଏବଂ ରକ୍ତ ଶୋଷି ନିଅନ୍ତି । ଅଣ୍ଡିରା ମଶାମାନେ କାମୁଡ଼ନ୍ତି ନାହିଁ। ତେଣୁ ଲକ୍ଷ ଲକ୍ଷ ଅଣ୍ଡିରା ମଶା ଛାଡ଼ିବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ମଶା କାମୁଡ଼ିବା ଭୟ ନଥାଏ। ଯେତେବେଳେ ଏହି ୱଲବାଚିଆ ଜୀବାଣୁଯୁକ୍ତ ଅଣ୍ଡିରା ମଶା ବାହାରେ ଥିବା ସାଧାରଣ ମାଈ ମଶାଙ୍କ ସହ ମିଳନ କରନ୍ତି, ସେତେବେଳେ ସେମାନଙ୍କ ଠାରୁ ସୃଷ୍ଟି ହେଉଥିବା ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ସେଥିରୁ ନୂଆ ମଶା ଜନ୍ମ ହୁଏ ନାହିଁ।

କେଉଁ ପ୍ରଜାତିର ମଶାକୁ ଟାର୍ଗେଟ୍ କରାଯାଉଛି?

ଏହି ଅଭିଯାନରେ ବିଶେଷ ଭାବେ 'କ୍ୟୁଲେକ୍ସ' (Culex) ପ୍ରଜାତିର ମଶାକୁ ନାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ୟୁଲେକ୍ସ ମଶା ହିଁ 'ୱେଷ୍ଟ ନାଇଲ୍ ଭାଇରସ୍' ଏବଂ 'ସେଣ୍ଟ ଲୁଇସ୍ ଏନସେଫାଲାଇଟିସ୍' ଭଳି ସାଙ୍ଘାତିକ ରୋଗ ବ୍ୟାପିବାର ମୁଖ୍ୟ କାରଣ। ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ (CDC) ଅନୁଯାୟୀ, ଆମେରିକାରେ ୱେଷ୍ଟ ନାଇଲ୍ ସବୁଠାରୁ ସାଧାରଣ ମଶାବାହିତ ରୋଗ ଏବଂ ନିକଟରେ କାଲିଫର୍ଣ୍ଣିଆର ରିଭରସାଇଡ୍ କାଉଣ୍ଟିରେ ଏହାର ସଂକ୍ରମଣ ଚିହ୍ନଟ ହୋଇଛି।

AI ଏବଂ ରୋବୋଟିକ୍ସର ବ୍ୟବହାର

ପୂର୍ବରୁ ଫ୍ଲୋରିଡାର କିଛି ସୀମିତ ଅଞ୍ଚଳରେ ୱଲବାଚିଆ ମଶାକୁ ନେଇ ଛୋଟ ଧରଣର ପରୀକ୍ଷା କରାଯାଇ ସଫଳତା ମିଳିଥିଲା। କିନ୍ତୁ କୋଟି କୋଟି ମଶାଙ୍କୁ ନେଇ ଏତେ ବଡ଼ ସ୍ତରରେ କାମ କରିବା ଏକ ବଡ଼ ଆହ୍ୱାନ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ଗୁଗଲ୍ ନିଜର ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛି । ସ୍ୱତନ୍ତ୍ର ଏଆଇ (AI) ପ୍ରଯୁକ୍ତିବିଦ୍ୟା ଦ୍ୱାରା ଲକ୍ଷ ଲକ୍ଷ ମଶା ମଧ୍ୟରୁ ଅଣ୍ଡିରା ଓ ମାଈ ମଶାକୁ ସମ୍ପୂର୍ଣ୍ଣ ସଠିକତା ସହ ଅଲଗା କରାଯାଇପାରୁଛି। ରୋବୋଟ୍ ସାହାଯ୍ୟରେ ମଶାଗୁଡ଼ିକର କମ୍ ସମୟରେ ବହୁ ପରିମାଣରେ ପ୍ରଜନନ କରାଯାଉଛି।

ସେପଟେ ଏହି ପ୍ରକଳ୍ପକୁ ସରକାରଙ୍କ ମଞ୍ଜୁରୀ ମିଳିଲେ, ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ । କାଲିଫର୍ଣ୍ଣିଆରେ ୧୬ ମିଲିୟନ ଏବଂ ଫ୍ଲୋରିଡାରେ ୧୬ ମିଲିୟନ ମଶା ଛଡ଼ାଯିବ। ପୁଣି ଥରେ ଉଭୟ ରାଜ୍ୟରେ ୧୬ ମିଲିୟନ ଲେଖାଏଁ ମଶା ଛଡ଼ାଯାଇ ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ କରାଯିବ। ବର୍ତ୍ତମାନ ସୁଦ୍ଧା ମଶା ଛଡ଼ାଯିବାକୁ ଥିବା ସଠିକ୍ ସ୍ଥାନଗୁଡ଼ିକର ଘୋଷଣା କରାଯାଇନାହିଁ। ଏହି ପ୍ରକଳ୍ପ ଉପରେ ଜନସାଧାରଣଙ୍କ ମତାମତ ଗ୍ରହଣ କରାଯାଉଛି। ଯଦି ଏହା ସଫଳ ହୁଏ, ତେବେ ଭବିଷ୍ୟତରେ ମଶାବାହିତ ରୋଗରୁ ମୁକ୍ତି ପାଇବା ପାଇଁ ଏହା ଏକ ସୁରକ୍ଷିତ ମାଧ୍ୟମ ପାଲଟିବ।

Malayagiri Express

Published by

Malayagiri Express

Bringing you the latest updates and breaking news from across the globe. Unbiased, factual, and extremely rapid reporting.

Comments (0)

No comments yet. Be the first to share your thoughts!

Leave a Reply

Your username will be randomly assigned to protect privacy.