

ସନ୍ଦିଗ୍ଧ ଅପରାଧୀଙ୍କ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ, ଦୁଇ ଫେରାର,
ବଅଁରପାଳ ଥାନା ଅଧୀନ ଗୋତମରା ବିଶ୍ୱନାଥପୁର ଅଞ୍ଚଳରେ ସନ୍ଦିଗ୍ଧ ଅପରାଧୀମାନଙ୍କ ଏକ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ପୋଲିସକୁ ଦେଖି ଗୁଳି ଚଳାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋତମରା ଅଞ୍ଚଳରେ ୩ରୁ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏକତ୍ରିତ ହୋଇ କୌଣସି ଅପରାଧିକ କାର୍ଯ୍ୟ ଘଟାଇବାକୁ ଯୋଜନା କରୁଥିବା ନେଇ ବଅଁରପାଳ ପୋଲିସ ନିକଟରେ ବିଶେଷ ସୂତ୍ର ରୁ ସୂଚନା ପହଞ୍ଚିଥିଲା। ଏହା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତ ଆକାଶକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ। ଚଢ଼ାଉ ସମୟରେ ପୋଲିସ ସଞ୍ଜୟ ନାଏକ ଓ ବଳିଆ ନାଏକଙ୍କୁ କାବୁ କରି ଗିରଫ କରିଥିଲା।ଏହି ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ବାଇକ ଯୋଗେ ଦ୍ରୁତଗତିରେ ଖସି ଯାଇ ଥିଲେ। ଫେରାର ଅଭିଯୁକ୍ତଙ୍କ ଖୋଜଖବର ପାଇଁ ପୋଲିସ ସହ ବନ ବିଭାଗର ଟିମ୍ ମଧ୍ୟ ସାମିଲ ହୋଇଥିଲେ। ଡ୍ରୋନ୍ କ୍ୟାମେରା, ଜେନେରେଟର ଓ ପକଲେନ୍ ମେସିନ୍ ସହାୟତାରେ ବ୍ୟାପକ ତଲାସି ଅଭିଯାନ ଚଳାଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ସନ୍ଧାନ ମିଳିନଥିଲା।ଘଟଣାସ୍ଥଳରେ ଏସଡିପିଓ ରମାକାନ୍ତ ମହାଳିକ ଏବଂ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହଙ୍କ ନେତୃତ୍ୱରେ ପୋଲିସ ବାହିନୀ ମୁତୟନ ରହିଛନ୍ତି।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.