

ପାଠ କେବଳ ନିଯୁକ୍ତି ର ମାଧ୍ୟମ ନୁହଁ ଏହା ହେଉଛି ଉତ୍ତମ ଚରିତ୍ର ଗଠନ କରିବାର ସାଧନ
ଖମାର - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ଏକ ଭବ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ଓ ସେମାନଙ୍କୁ ଭବିଷ୍ୟତରେ ଆହୁରି ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାଳଲହଡ଼ା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶ୍ରେଷ୍ଠ ୧୦ ଜଣ ଲେଖାଏଁ ମେଧାବୀ ଛାତ୍ରଛାତ୍ରୀ ଏବଂ ବ୍ଲକର ସମସ୍ତ +୨ ମହାବିଦ୍ୟାଳୟର ଶ୍ରେଷ୍ଠ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ସମ୍ମାନିତ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଓ ସ୍ମାରକ ପ୍ରଦାନ କରି ସେମାନଙ୍କ ଉପଲବ୍ଧିକୁ ସ୍ୱୀକୃତି ଦିଆଯାଇଥିଲା। ମୁଖ୍ୟ ଅତିଥି ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲି। ନିଜ ବକ୍ତବ୍ୟରେ ସେ କହିଥିଲି ଯେ, ଆଜିର ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନର ଭାରତ ଗଢ଼ିବାର ମୁଖ୍ୟ କାରିଗର। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା, ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ହିଁ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ। କେବଳ ପାଠପଢ଼ାରେ ସଫଳତା ନୁହେଁ, ବରଂ ନୈତିକତା, ସାମାଜିକ ଦାୟିତ୍ୱବୋଧ ଓ ରାଷ୍ଟ୍ରପ୍ରେମକୁ ଜୀବନରେ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ। ମେଧାବୀମାନଙ୍କ ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଥାଏ ଏବଂ ସେମାନଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ପ୍ରେରିତ କରିଥାଏ। ଉପସ୍ଥିତ ସମସ୍ତେ ମେଧାବୀ ବିଦ୍ୟାର୍ଥୀଙ୍କ ସଫଳତାକୁ ସ୍ୱାଗତ କରିବା ସହ ସେମାନଙ୍କ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ, ଗର୍ବ ଓ ପ୍ରେରଣାର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପାଳଲହଡ଼ା ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚରେ ସମ୍ମାନିତ କରାଯିବା ଘଟଣାକୁ ସାଧାରଣ ଜନତା ଓ ଶିକ୍ଷାବିତ୍ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହିପରି ପଦକ୍ଷେପ ଭବିଷ୍ୟତରେ ଅଞ୍ଚଳର ଶିକ୍ଷାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ , ବିଶିଷ୍ଟ ସମାଜ ସେବୀ ଅବନୀ ଭୂଷଣ ସାହୁ , ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ପାଳଲହଡ଼ା ଖଣ୍ଡ ର ଖଣ୍ଡ ସଂଘ ଚାଳକ ସଞ୍ଜୟ କୁମାର ପ୍ରଧାନ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସମ୍ପାଦକ ଆଶିଷ କୁମାର ବେହେରା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟାଂଶୁ ପ୍ରିୟଦର୍ଶିନୀ ସାହୁ , ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଗୌର ଚନ୍ଦ୍ର ପ୍ରଧାନ, ଲିଙ୍ଗରାଜ ଦାସ, ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନ, ଡିଲେଶ୍ୱର୍ ବେହେରା , ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Published by
Bringing you the latest updates and breaking news from across the globe. Unbiased, factual, and extremely rapid reporting.
No comments yet. Be the first to share your thoughts!
Your username will be randomly assigned to protect privacy.